
ଦଶମ ରାଉଣ୍ଡ କମାଣ୍ଡରସ୍ତରୀୟ ଆଲୋଚନା ବୈଠକ ପରେ ରବିବାର ଭାରତ-ଚୀନ ମିଳିତ ବୟାନ ଜାରି । ଅଧିକ ପଢନ୍ତୁ...
ନୂଆଦିଲ୍ଲୀ: ପାଙ୍ଗୋଙ୍ଗ ହ୍ରଦ ନିକଟରୁ ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ଏକ ଉତ୍ତମ ଆଧାର । ଏହାକୁ ମାନିଛନ୍ତି ଉଭୟ ଭାରତ ଓ ଚୀନ । ଦଶମ ରାଉଣ୍ଡ କମାଣ୍ଡରସ୍ତରୀୟ ଆଲୋଚନା ବୈଠକ ପରେ ରବିବାର ଉଭୟ ଦେଶ ମିଳିତ ବୟାନ ଜାରି କରି କହିଛନ୍ତି ଏହି କଥା ।
ଭାରତ ଓ ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର ମିଳିତ ବୟାନ ଜାରି କରି କହିଛନ୍ତି ଶନିବାର କର୍ପସ କମାଣ୍ଡରସ୍ତରୀୟ ବୈଠକ ମାଲ୍ଡୋ(ଚୁସୁଲ) ସୀମାରେ ଆୟୋଜିତ ହୋଇଥିଲା । ଏଥିରେ ଦୁଇ ପକ୍ଷ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ମୁତୟନ ହୋଇଥିବା ସୈନିକଙ୍କ ଡିସ ଏନଗେଜମେଣ୍ଟକୁ ସମ୍ପୂର୍ଣ୍ଣ କରିବାକୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ମାନିଛନ୍ତି ।
ମିଳିତ ବୟାନରେ କୁହାଯାଇଛି ଯେ ଏହି ସକାରାତ୍ମକ ପଦକ୍ଷେପ ପଶ୍ଚିମ ସେକ୍ଟରରେ ଏଲଏସିର ଅନ୍ୟ ବିବାଦିତ ସମସ୍ୟାର ସମାଧାନ ପାଇଁ ଏକ ଉତ୍ତମ ଆଧାର ପାଲଟିଛି । ଏହା ସହ କୁହାଯାଇଛି ଯେ ଏହି ବୈଠକରେ ଏହି ବିଷୟ ଉପରେ ସ୍ପଷ୍ଟ ଓ ଗମ୍ଭୀର ଆଲୋଚନା ହୋଇଛି ।
ଶନିବାର ଦଶମ ପର୍ଯ୍ୟାୟ ବୈଠକରେ ସୈନ୍ୟ ପ୍ରତ୍ୟାହାର ଉପରେ ଦୀର୍ଘ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଶନିବାର ସକାଳ 10ଟାରେ ଆରମ୍ଭ ହୋଇଥିବା ଏହି ବୈଠକ ବିଳମ୍ବିତ ରାତିରେ ଶେଷ ହୋଇଥିଲା । ବାସ୍ତବିକ ନିୟନ୍ତ୍ରଣ ରେଖାର ଚୀନ ପାର୍ଶ୍ବରେ ଥିବା ମୋଲଦୋ ସୀମାରେ ହୋଇଥିବା ଏହି ଆଲୋଚନା ରାତି ୯ଟା ୪୫ରେ ଶେଷ ହୋଇଥିଲା।
ସୂତ୍ର ଅନୁସାରେ ୧୦ ପର୍ଯ୍ୟାୟର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା ଯେ, ଅନ୍ୟ ଅଞ୍ଚଳରୁ ମଧ୍ୟ ସୈନ୍ୟ ଓ ଅନ୍ୟଉପକରଣ ଶୀଘ୍ର ଫେରାଇ ଆଣିବା । ଉଭୟ ପକ୍ଷର ପ୍ରତିନିଧିମାନେ ଏଥି ପାଇଁ ଆଲୋଚନା କରିଥିଲେ । ଏହି ସମୟରେ, ଶୁକ୍ରବାର ଚୀନ୍ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି ଯେ, ଜୁନ୍ 2020ରେ ପୂର୍ବ ଲଦାଖର ଗଲୱାନ୍ ଘାଟିରେ ଭାରତୀୟ ସେନା ସହିତ ହୋଇଥିବା ରକ୍ତାକ୍ତ ସଂଘର୍ଷରେ 5 ଜଣ ଚୀନ୍ ସେନାଙ୍କ ମୃତ୍ୟୁ ଘଟିଛି।
ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ପରେ 5 ମେ, 2020 ରେ ଭାରତୀୟ ଏବଂ ଚୀନ୍ ସେନାକଙ୍କ ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଥିଲା। ଏବଂ ଉଭୟ ପକ୍ଷ କ୍ରମାଗତ ଭାବରେ ହଜାର ହଜାର ସୈନିକ ଭାରୀ ଅସ୍ତ୍ରଶସ୍ତ୍ର ନିୟୋଜନକୁ ବଢାଇ ଥିଲେ। ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ସାମରିକ ଏବଂ କୂଟନୈତିକ କଥାବାର୍ତ୍ତା ଜାରି ରହିଛି ।