ଗୁଜୁରାଟରେ ବିଜେପି ବିଜୟର ଧାରା ବଜାୟ ରଖିଆସୁଥିବା ବେଳେ ପ୍ରଶ୍ନ ଉଠୁଛି ପ୍ରଧାନମନ୍ତ୍ରୀଙ୍କ ପାଇଁ କାହିଁକି ଏହି ନିର୍ବାଚନ ଖାସ? ଅଧିକ ପଢନ୍ତୁ...
ନୂଆଦିଲ୍ଲୀ: ଗୁଜୁରାଟର ପୌର ନିର୍ବାଚନରେ ବୃହତ ବଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ସମସ୍ତ 6ଟା ଯାକ ମହାନଗର ନିଗମକୁ ଦଖଲ କରିଛି ବିଜେପି । ଏହି ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିବା ବେଳେ କିଛି ସ୍ଥାନରେ ପାଦ ଥାପିବାକୁ ସକ୍ଷମ ହୋଇଛି ଆମ ଆଦମୀ ପାର୍ଟି । ଗୁଜୁରାଟ ପୌର ନିର୍ବାଚନରେ ବିଜେପିର କ୍ଲିନ ସୁଇପ ବିଜୟକୁ ନେଇ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ଏତିକି ନୁହେଁ, ଏହି ନିର୍ବାଚନକୁ ଖାସ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଗୁଜୁରାଟରେ ବିଜେପି ବିଜୟର ଧାରା ବଜାୟ ରଖିଆସୁଥିବା ବେଳେ ପ୍ରଶ୍ନ ଉଠୁଛି ପ୍ରଧାନମନ୍ତ୍ରୀଙ୍କ ପାଇଁ କାହିଁକି ଏହି ନିର୍ବାଚନ ଖାସ?
ଗୁଜୁରାଟ ମହାନଗର ନିର୍ବାଚନ କେବଳ ମାତ୍ର ଏକ ସ୍ଥାନୀୟ ନିର୍ବାଚନ ସତ, ହେଲେ ଏଥିରେ ବୃହତ ମାର୍ଜିନରେ ବିଜୟ ହାସଲ ବିଜେପି ପାଇଁ ନିଶ୍ଚୟ ଖାସ । କାରଣ ଆଗାମୀ ଦିନରେ 4 ରାଜ୍ୟ ସହ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଉ ଏହା ପୂର୍ବରୁ ଗୁଜୁରାଟ ମହାନଗରନିଗମ ନିର୍ବାଚନରେ ବିଜୟ ବିଜେପିର ଆତ୍ମବିଶ୍ବାସକୁ ଦ୍ବିଗୁଣିତ କରିଛି ।
ଗୁଜୁରାଟର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ଟ୍ବିଟ କରିଛନ୍ତି, ଧନ୍ୟବାଦ ଗୁଜୁରାଟ ! ସାରା ରାଜ୍ୟର ମହାନଗରନିଗମ ନିର୍ବାଚନ ଫଳାଫଳ ସ୍ପଷ୍ଟ ଭାବେ ବିକାଶ ଓ ସୁଶାସନ ରାଜନୀତି ପ୍ରତି ଜନସାଧାରଣଙ୍କ ଅତୁଟ ବିଶ୍ବାସକୁ ଦର୍ଶାଉଛି । ପୂନର୍ବାର ବିଜେପି ଉପରେ ଆସ୍ଥା ପ୍ରକଟ କରିଥିବାରୁ ଗୁଜୁରାଟବାସୀଙ୍କ ପ୍ରତି ଆଭାର ବ୍ୟକ୍ତ କରିଛନ୍ତି ମୋଦି । ସର୍ବାଦା ଗୁଜୁରାଟର ସେବା କରିବା ସମ୍ମାନର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପିଏମ ମୋଦି କହିଛନ୍ତି, ଆଜି ସମ୍ପୂର୍ଣ୍ଣ ଗୁଜୁରାଟରେ ମିଳିଥିବା ବିଜୟ ଅତ୍ୟନ୍ତ ଖାସ । ଦୁଇ ଦସନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ରାଜ୍ୟରେ ଅଦ୍ଭୁତପୂର୍ବ ବିଜୟ ହାସଲ କରିଆସୁଛି ଦଳ ।
ବିଜେପି ସୁରଟରେ 120 ଆସନରୁ 93ଟିରେ ବିଜୟ ହାସଲ କରିଥିବା ବେଳେ 27ଟି ଆସନ କବଜା କରିଛି ଆମ ଆଦମୀ ପାର୍ଟି । ଏଠାରେ ଖାତା ଖୋଲିବାକୁ ବି ସକ୍ଷମ ହୋଇନି କଂଗ୍ରେସ । ସେହିପରି ରାଜକୋଟରେ ମୋଟ 72ଟି ସିଟ୍ରୁ 68ଟି ଆସନର ଫଳାଫଳ ସାମ୍ନାକୁ ଆସିଛି । ଏଥିରେ 64ଟିରେ ବିଜେପି ବିଜୟୀ ହୋଇଥିବା ବେଳେ କଂଗ୍ରେସ ହାତକୁ ଯାଇଛି 4ଟି ଆସନ ।
ଭଦୋଦରାରେ 76ଟି ଆସନ ମଧ୍ୟରୁ 56ଟିରେ ବିଜେପି ବିଜୟ ହାସଲ କରିଛି । ଏଠାରେ ମାତ୍ର 7ଟି ଆସନରେ ସୀମିତ ରହିଯାଇଛି କଂଗ୍ରେସ । ସେହିପରି ଜାମନଗରରେ 64ଟି ଆସନରୁ 51ଟି ବିଜେପି, 10ଟି କଂଗ୍ରେସ ଓ 3ଟିରେ ବିଏସପିକୁ ମିଳିଛି ।
ଭାବନଗରରେ 52ଟି ଆସନ ରହିଛି । ଏଥିରୁ 44ଟିରେ ବିଜେପି ବିଜୟ ଧ୍ବଜା ଉଡାଇଥିବା ବେଳେ 8ଟି ଆସନରେ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡିଛି । ଅହମଦାବାଦରେ ମଧ୍ୟ ବହୁମତ ହାସଲ କରିସାରିଛି ବିଜେପି ।
ଆଗକୁ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପିର ବିକାଶ ମଡେଲ ଗୁଜୁରାଟରେ ଏହି ବୃହତ ସଫଳତା ଦଳକୁ ଆତ୍ମବିଶ୍ବାସ ପ୍ରଦାନ କରିବାରେ ସହାୟକ ହେବ । କାରଣ ଆସାମରେ ପୂନର୍ବାର କ୍ଷମତାକୁ ଫେରିବା ତଥା ପଶ୍ଚିମବଙ୍ଗରେ ମମତାଙ୍କ ଗଡରେ ବିଜୟ ଧ୍ବଜା ଉଡାଇବା ସହ ତାମିଲନାଡୁ, କେରଳକୁ କବଜା କରି ପୁଡୁଚେରୀରେ ବିଜୟ ଧ୍ବଜା ଉଡାଇବାକୁ ଜୋର ଲଗାଇଦେଇଛି ବିଜେପି । ଏଭଳି ସ୍ଥିତିରେ ସରକାରୀ ବିରୋଧୀ ହାୱାକୁ ନେଇ ବିରୋଧୀଙ୍କ ପ୍ରଚାର ଫେଲ ମାରିଥିବା ଗୁଜୁରାଟ ପୌର ନିର୍ବାଚନରୁ ସ୍ପଷ୍ଟ ହେଉଛି । କାରଣ ବିଜେପିର ବିକାଶ ମଡେଲ ଗୁଜୁରାଟରେ 2 ଦସନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ବିଜେପିର ବିଜୟ ଧାରା ନିଶ୍ଚୟ ଏହି ସବୁ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବଡ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ