ଫୋକସରେ ଋଣ ବଣ୍ଟନ, ଚାମ୍ପିଅନ ବ୍ୟାଙ୍କଙ୍କୁ ପୁରସ୍କୃତ କରିବେ ମୁଖ୍ୟମନ୍ତ୍ରୀ
ଫୋକସରେ

ରାଜ୍ୟର ଆର୍ଥିକ ସ୍ଥିତି ବର୍ତ୍ତମାନ ଅଭିବୃଦ୍ଧି ଆଡ଼କୁ ଗତି କରୁଛି । ବ୍ୟାଙ୍କଗୁଡ଼ିକ ଋଣ ଯୋଗାଣ କ୍ଷେତ୍ରରେ ଆଗେଇ ଆସିବା ଲାଗି ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।

ଭୁବନେଶ୍ବର: ୧୬୨ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ମଙ୍ଗଳବାର ଭର୍ଚୁଆଲରେ ଅନୁଷ୍ଠିତ ହୋଇଛି । ରାଜ୍ୟର ଆର୍ଥିକ ସ୍ଥିତି ବର୍ତ୍ତମାନ ଅଭିବୃଦ୍ଧି ଆଡ଼କୁ ଗତି କରୁଛି । ବ୍ୟାଙ୍କଗୁଡ଼ିକ ଋଣ ଯୋଗାଣ କ୍ଷେତ୍ରରେ ଆଗେଇ ଆସିବା ଲାଗି ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ସମାଜର ଦୁର୍ବଳ ଏବଂ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ସହାୟତା କରି ରାଜ୍ୟର ଆର୍ଥିକ କ୍ଷେତ୍ରକୁ ମଜବୁତ କରିବାକୁ ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅନୁରୋଧ କରିଛନ୍ତି ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାଙ୍କମାନଙ୍କ ଋଣ ପ୍ରଦାନ ଏବଂ ଲକ୍ଷ୍ୟ ହାସଲ ଉତ୍ସାହଜନକ ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ବାର୍ଷିକ ଋଣ ଯୋଜନାର ୭୭ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଏହି ଶତପ୍ରତିଶତ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଘରୋଇ ବ୍ୟାଙ୍କ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ସଫଳତା ଏ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକଠାରୁ ଭଲ ହୋଇଛି ବୋଲି ସେ ମତ ଦେଇଛନ୍ତି । କୃଷି ରାଜ୍ୟର ଜନସାଧାରଣଙ୍କ ଜୀବିକା ନିର୍ବାହର ମୁଖ୍ୟ ମାଧ୍ୟମ ଥିବାବେଳେ ବାର୍ଷିକ ଋଣ ଯୋଜନାର ଏହା ୫୭.୭୨ ପ୍ରତିଶତ ଲକ୍ଷ୍ୟ ହାସଲ କରିପାରିଛି । କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେବାକୁ ସେ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଥିଲେ । କୃଷି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ଯୋଗାଇ ଦେବା କ୍ଷେତ୍ରରେ ସରକାର ସର୍ବଦା ପ୍ରାଧାନ୍ୟ ଦେଇଆସିଛନ୍ତି ।

ପ୍ରଥମ ଥର ପାଇଁ ୨୦୨୦- ୨୧ ବର୍ଷରେ କୃଷି, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଋଣ ସହାୟତା ଯୋଗାଇଥିବା ଚମ୍ପିଅନ୍ ବ୍ୟାଙ୍କମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିବେ । ଅଗ୍ରାଧିକାର କ୍ଷେତ୍ରଗୁଡିକୁ ଋଣ ଯୋଗାଣ ପାଇଁ ଗତ ଡିସେମ୍ବର ୨୨ର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ବ୍ୟାଙ୍କର୍ସ ଏବଂ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଲକ୍ଷ୍ୟ ହାସଲ ଦିଗରେ ବ୍ୟାଙ୍କମାନେ କାର୍ଯ୍ୟ କରିବାକୁ ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବୈଠକରେ ଯୋଗଦେଇ କହିଛନ୍ତି, ସବୁ ଅଞ୍ଚଳରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭଲ କାମ କରୁଛନ୍ତି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଋଣ ଯୋଗାଣ ସହ ଅପହଞ୍ଚ ଅଞ୍ଚଳରେ ଅଧିକା ସ୍ଥାୟୀ ବ୍ୟାଙ୍କ ସ୍ଥାପନ ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ଉଲ୍ଲେଖଯୋଗ୍ୟ ଲାଭଜନକ କ୍ଷେତ୍ରରେ ପରିଣତ ହେବା ପାଇଁ ସେମାନଙ୍କୁ ଠିକ୍ ସମୟରେ ଋଣ ପ୍ରଦାନ ଉପରେ ଗୁରୁତ୍ବରୋପ କରିଥିଲେ । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଋଣ ପ୍ରଦାନ କ୍ଷେତ୍ରରେ ଏସ୍ଏଲ୍‌ବିସି ନିଜର ମାର୍ଗଦର୍ଶିକାକୁ ଅଧିକ ସରଳ କରିବା ଉପରେ ମନ୍ତବ୍ୟ ରଖିଛନ୍ତି । ସେହିପରି କୃଷି ବିଭାଗ ସ୍ବତନ୍ତ୍ର ସଚିବ ସୁରେଶ ବଶିଷ୍ଠ ଋଣ ପ୍ରଦାନ କ୍ଷେତ୍ରରେ ଆବେଦନକାରୀଙ୍କ ଦରଖାସ୍ତ ଶୀଘ୍ର ଗ୍ରହଣ କରି ଋଣ ପ୍ରଦାନ କରିବାକୁ ପ୍ରସ୍ତାବ ରଖିଛନ୍ତି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଚଳିତ ବଜେଟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ବିଶେଷ ଗୁରୁତ୍ବ ଦିଆଯାଇଥିବାରୁ ଅଧିକ ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟକରିବାକୁ ପଡ଼ିବ ବୋଲି କହିଥିଲେ । ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ବକ୍ତବ୍ୟ ରଖି କହିଥିଲେ ଯେ, ଆସନ୍ତା ୨୬ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ବ୍ୟାଙ୍କର୍ସଙ୍କ ସହିତ ସମୀକ୍ଷା କରିବେ । ବୈଠକ ପୂର୍ବରୁ ସେମାନେ ସବୁ ତଥ୍ୟ ସଂଗ୍ରହ ସହ ଋଣ ଯୋଗାଣ ସଂପର୍କରେ ସବିଶେଷ ସୂଚନା ରଖିବା ପାଇଁ ପରାମର୍ଶ ଦେଇଥିଲେ । ବୈଠକରେ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଆର. ରଘୁପ୍ରସାଦ, ଡିଏଫୁଏ ଯୁଗ୍ମ ସଚିବ ସଙ୍ଗୀନ୍ଦ୍ର ମିଶ୍ର, ଆନୁଷ୍ଠାନିକ ଅର୍ଥ ନିର୍ଦ୍ଦେଶକ ପ୍ରଜ୍ଞାସ୍ମିତା ସାହୁ, ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧୁକାରୀ ଏ.କେ ଗୋୟଲ, ଏସ୍ଏବିସିର ଆବାହକ ଅରୂପାନନ୍ଦ ଜେନା, ଭାରତୀୟ ରିଜର୍ଭ ବ୍ୟାଙ୍କର ସାଧାରଣ ପରିଚାଳକ ସୋନାଲି ଦାସ ଏବଂ ନାବାର୍ଡର ସାଧାରଣ ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.