
ବୌଦ୍ଧ ଜିଲ୍ଲାରେ ବାଲ୍ୟବିବାହ ଓ ଶିଶୁ ଶ୍ରମିକ ପ୍ରଥା ଉଦବେଗଜନକ ସ୍ଥିତିରେ ରହିଛି । ଅଧିକ ପଢନ୍ତୁ...
ବୌଦ୍ଧ: ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ ବାଲ୍ୟବିବାହ ଓ ଶିଶୁ ଶ୍ରମିକ ପ୍ରଥା । କେବଳ ଚଳିତ ବର୍ଷ ଶତାଧିକ ଏଭଳି ବାଲ୍ୟବିବାହ ହୋଇଥିବା ବେଳେ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଏହାକୁ ରୋକିବାରେ ସମସ୍ୟା ଉପୁଜୁଥିବା ଜଣାପଡିଛି ।
ଜିଲ୍ଲାର ତିନୋଟି ବ୍ଲକରେ ବାଲ୍ୟବିବାହ ପ୍ରଥା ଅତ୍ୟନ୍ତ ଉଦବେଗ ଜନକ ସ୍ଥିତିରେ ରହିଛି । ଚଳିତ ବର୍ଷ ଶତାଧିକ ଏଭଳି ବାଲ୍ୟବିବାହ ହୋଇଥିବା ଜଣାପଡିଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ, ପୋଲିସ, ଶିଶୁ ସୁରକ୍ଷା, ଚାଇଲ୍ଡ ଲାଇନ ଓ ସର୍ବୋପରି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗର ପ୍ରମୁଖ ଦାୟିତ୍ବ ରହିଛି । ଚଳିତ ବର୍ଷ ବିଭିନ୍ନ ବିଭାଗର ଉଦ୍ୟମ କ୍ରମେ କେତୋଟି ବାଲ୍ୟବିବାହ ରୋକାଯାଇଥିବା ବେଳେ ଆହୁରି ଅନେକ ସ୍ଥାନରେ ବାଲ୍ୟ ବିବାହକୁ ରୋକାଯାଇ ପାରିନାହିଁ ।
ରବିବାର କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ଗ୍ରାମରେ ଏକ ବାଲ୍ୟବିବାହ ଖବର ପାଇ ଖୋଦ କଣ୍ଟାମାଳ ସିଡିପିଓ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ସହାୟତାରେ ବାଲ୍ୟବିବାହକୁ ବନ୍ଦ କରି ପାରିଥିବା ବେଳେ ସୋମବାର ହରଭଙ୍ଗା ବ୍ଲକଠାରେ ବାଲ୍ୟବିବାହକୁ ରୋକିବାକୁ ଟାସ୍କଫୋର୍ସ ଗଠନ ହୋଇଛି । ସେପଟେ ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ମଧ୍ୟ ଅତ୍ୟନ୍ତ ଉଦବେଗ ଜନକ ସ୍ଥିତିରେ ରହିଥିବା ଦେଖିବାକୁ ମିଳିଛି ।
ଏପରିକି ହରଭଙ୍ଗା ସିଡିପିଓଙ୍କ ଅଧିନରେ ଥିବା ଆଢେଣୀଗଡ ଅଙ୍ଗନବାଡି କେନ୍ଦ୍ରରେ ଦୁଇ ଜଣ ନାବାଳକ ଟେଣ୍ଟ ପରଦା ଖୋଲିବା କାର୍ଯ୍ୟରେ ନିୟୋଜିତ ଦୃଶ୍ୟ ହେଉ କିମ୍ବା ସିଡିପିଓଙ୍କ କାର୍ଯ୍ୟାଳୟ ନିକଟରେ ଥିବା କରଡାକୋଠା ବିଦ୍ୟାଳୟ ପାଚେରୀ ରଙ୍ଗ କାର୍ଯ୍ୟରେ ଦୁଇ ଜଣ ନାବାଳକ ଶିଶୁ ଶ୍ରମିକ ନିୟୋଜିତ ଦୃଶ୍ୟ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ