ଲୋକଙ୍କ କାମରେ ଆସୁନି ଖୋର୍ଦ୍ଧା ଟାଉନ ହଲ । ନିର୍ମାଣ ହୋଇଥିବା ଏହି ଘର ଏବେ ପାଲଟିଛି ଭୂତକୋଠି । ଅଧିକ ପଢନ୍ତୁ...
ଖୋର୍ଦ୍ଧା: ଦୀର୍ଘ ଦଶ ବର୍ଷ ହେବ ବନ୍ଦ ହେଇ ପଡିରହିଛି ଖୋର୍ଦ୍ଧା ଟାଉନ ହଲ । 1983 ମସିହାରେ ଲକ୍ଷ ଲକ୍ଷ ଟଙ୍କାରେ ଲୋକଙ୍କ ପାଇଁ ନିର୍ମାଣ ହୋଇଥିବା ଏହି ଘର ଏବେ ପାଲଟିଛି ଭୂତକୋଠି । ତତ୍କାଳୀନ ଗୃହ ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳ ଏହି ହଲକୁ ଲୋକଙ୍କ ପାଇଁ ଉତ୍ସର୍ଗ କରିଥିଲେ । ଏହା ପରଠାରୁ ଖୋର୍ଦ୍ଧାର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟକ୍ରମ ଏଠାରେ କରାଯାଉଥିଲା । ସହର ମଝିରେ ଥିବାରୁ ଏହା ଲୋକଙ୍କ ସେବାରେ ଆସୁଥିଲା । କିନ୍ତୁ ସମୟ ବିତିବା ଅନୁସାରେ ଖୋର୍ଦ୍ଧାରେ ଅନେକ ଛୋଟ ବଡ ଘରୋଇ କଲ୍ୟାଣ ମଣ୍ଡପ ଗଢ଼ି ଉଠିବା ସହିତ ଟାଉନ ହଲ ବନ୍ଦ ହୋଇଗଲା ।
ପରେ ଏହାର ମରାମତି କରାଯାଇ ପୁନଃ କାର୍ଯ୍ୟକ୍ଷମ କରାଗଲା । ସେତେବେଳେ ଏହାର ନାମ ସ୍ବାଧିନତା ସଂଗ୍ରାମୀ ଜୟୀରାଜଗୁରୁ ଭବନ ନାମରେ ନାମିତ କରାଗଲା । କିନ୍ତୁ ବିଗତ ଦଶ ବର୍ଷ ହେବ ଏହା ବନ୍ଦ ହୋଇ ପଡିରହିଛି । ଲୋକଙ୍କ ସେବାରେ ନଆସିବାରୁ ଲୋକେ ବାଧ୍ୟ ହୋଇ ଘରୋଇ ମଣ୍ଡପରେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ତେବେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ସରକାରୀ ଉଦାସନିତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହା ଅବହେଳିତ ହୋଇପଡିଛି । ସେପଟେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଜୟୀରାଜଗୁରୁ ଭବନର ମରାମତି ପାଇଁ ନୂତନ ଟେଣ୍ଡର ସରିଛି । ଆସନ୍ତା ଛଅ ମାସ ଭିତରେ ଏହା ଲୋକଙ୍କ ପାଇଁ ଖୋଲାଯିବ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ